ଆକ୍ସନ ମୁଡ଼ରେ ମୁଖ୍ୟମନ୍ତ୍ରୀ

Spread the love

ଗ୍ରୀଭାନ୍ସ ସେଲ୍‌ର ଗୁରୁତ୍ୱ ବଢ଼ୁଛି। ନିଜେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ରହି ଲୋକଙ୍କ ସମସ୍ୟା ଶୁଣି ସମାଧାନ ପାଇଁ ଅନ ଦି ସ୍ପଟ୍ ନିର୍ଦେଶ ଦେଉଛନ୍ତି। ସେଥିଲାଗି ଲୋକଙ୍କ ଭରସା ବଢ଼ୁଛି। କିନ୍ତୁ ବ୍ୟବସ୍ଥାକୁ ବ୍ୟାପକ କରିବାକୁ ଯାଇ ଦଳୀୟ ଅଫିସରେ ବି ମନ୍ତ୍ରୀମାନେ ଉପସ୍ଥିତ ରହି ଲୋକଙ୍କ ସମସ୍ୟା ଶୁଣିବା ଆରମ୍ଭ କରିଦେଇଥିବା ଖବର କେମିତି ଖାପଛଡ଼ା ଲାଗିଛି।ନବୀନ ସରକାରରେ ସଚିବ ଶୁଣୁଥିଲେ। ମନ୍ତ୍ରୀ ଗୌଣ ଥିଲେ। ହେଲେ ମୋହନ ସରକାରରେ ମନ୍ତ୍ରୀ ସବୁ କିଛି। ଅଫିସର ରାଜ୍ ଚାଲିବନି। ଲୋକଙ୍କ ସମସ୍ୟା ଶୁଣି ଅଣଦେଖା କଲେ ମହଙ୍ଗା ପଡ଼ିବ। ସମସ୍ୟାର ସମାଧାନ ପ୍ରାଥମିକତା। ଲୋକେ ଯେଉଁ ଭରସା ନେଇ ଆସୁଛନ୍ତି। ତାକୁ ଅତୁଟ ରଖିବା ପ୍ରଥମ କର୍ତ୍ତବ୍ୟ। ଯେଉଁ ସବୁ ସମସ୍ୟା ଦୀର୍ଘଦିନର। ପୂର୍ବ ସରକାର କେବେ ବି ଆଲୋଚନା କରିନାହାନ୍ତି। ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ତାକୁ ପ୍ରାଥମିକତା ଦିଆଯାଇଛି। ୧୭ଶହ ଅଭିଯୋଗକାରୀ ଆସିଥିଲେ। ହଜାରେରୁ ଉର୍ଦ୍ଧ୍ୱ ଅଭିଯୋଗ ମୁଖ୍ୟମନ୍ତ୍ରୀ, ଉପ-ମୁଖ୍ୟମନ୍ତ୍ରୀଙ୍କ ସମେତ ୬ ମନ୍ତ୍ରୀ ଶୁଣିଥିଲେ। କେବଳ ଭୁବନେଶ୍ୱରକୁ ନ ଆସି ଜିଲ୍ଲାସ୍ତରରେ ସମାଧାନ ହୋଇପାରିବ ବୋଲି କଥା ଦେଇଛନ୍ତି ମୁଖ୍ୟମନ୍ତ୍ରୀ। କିଏ ନିଜର ହଜିଯାଇଥିବା ଭାଇକୁ ଖୋଜିଦିଅ ବୋଲି ଅଳି କରି କାନ୍ଦି କାନ୍ଦି କୋହଭରା କଣ୍ଠରେ ତଳେ ଲୋଟିପଡ଼ୁଥିଲା ତ କିଏ ଅଚଳ ଗୋଡ଼କୁ ସଚଳ କରିବାକୁ ସରକାର ନିଶ୍ଚିତ ସାହାଯ୍ୟ କରିବେ ବୋଲି ଆଶାବାଦୀ ଥିଲେ। ଦୀର୍ଘ ୧୬ ବର୍ଷ ପରେ ଅଭିଯୋଗ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀଙ୍କ ପାଦ ପଡ଼ିବା ପରେ ନ୍ୟାୟ ପାଇବାକୁ ଲୋକଙ୍କ ଭରସା ବଢ଼ିବାରେ ଲାଗିଛି।

Leave a Reply

Your email address will not be published. Required fields are marked *