ରଥ ଉପରେ ଶ୍ରୀଜୀଉମାନଙ୍କର ବଡତଢା଼ଉ ବେଶ ବା ସୁନାବେଶ ଅନୁଷ୍ଠିତ ହୋଇଛି। ମହଣ ମହଣ ସୁନାରେ ଝଲସୁଛନ୍ତି ଚତୁଦ୍ଧାମୂର୍ତ୍ତି। ବୁଧବାର ସକାଳୁ ତିନିରଥ ଉପରେ ଦୈନନ୍ଦିନ ନୀତି କରାଯାଇ ମଧ୍ୟାହ୍ନ ଧୂପ ଓ ମଇଲମ ନୀତି ପରେ ମହଣ ମହଣ ସୁନାରେ ବିଭୂଷିତ ହୋଇଥିଲେ ଶ୍ରୀଜିଉ। ମହାପ୍ରଭୁଙ୍କ ଏହି ଦୁର୍ଲ୍ଲଭ ସୁନାବେଶ ଦେଖିବା ପାଇଁ ଆଜି ସକାଳୁ ଶ୍ରୀକ୍ଷେତ୍ର ଲୋକାରଣ୍ୟ ହୋଇ ଉଠିଥିଲା।
ଆଜି ରଥ ଉପରେ ଅନ୍ୟାନ୍ୟ ନୀତି ବଢି ମଧ୍ୟାହ୍ନ ଧୂପ, ମଇଲମ ପରେ ଅପରାହ୍ନରେ ମେକାପ ସର୍ବାଙ୍ଗ ନୀତି ସମ୍ପର୍ଣ୍ଣ ହେବା ପରେ ମହାପ୍ରଭୁଙ୍କୁ ସୁନାବେଶରେ ସଜ୍ଜିତ କରାଯାଇଥିଲା। ଭକ୍ତ ମାନେ ସନ୍ଧ୍ୟା ୫ଟା ରୁ ମହାପ୍ରଭୁଙ୍କ ଏହି ସୁନାବେଶ ଦର୍ଶନ ଆରମ୍ଭ ହୋଇଥିଲା। ରାତ୍ର ୧୧ଟା ପର୍ଯ୍ୟନ୍ତ ଭକ୍ତ ମାନେ ମହାପ୍ରଭୁଙ୍କ ସୁନାବେଶ ଦେଖିପାରିବେ । ବେଶ ଓ ଲାଗି ପରେ ବଡସିଂହାର ବେଶ ଓ ରାତ୍ର ପହୁଡ ହେବ।
ଶ୍ରୀଜିଉଙ୍କର ସମସ୍ତ ଚିତ୍ତାକର୍ଷକ ବେଶ ମଧ୍ଯରେ ସୁନାବେଶ ଅର୍ଥାତ ବଡତଢାଉ ବେଶ ଅନ୍ଯତମ। ଶ୍ରୀବଳଭଦ୍ର ଶ୍ରୀପୟର, ଶ୍ରୀଭୁଜ, କିରିଟି, ଘାଗଡାମାଳି, କଦମ୍ବମାଳି, କାନ କୁଣ୍ଡଳ, କମରପଟି, ଆଡକାନି, ଚନ୍ଦ୍ରିକା, ସେବତୀ ମାଳି, ବାଘନଖ ମାଳି, ବାହାଡାମାଳି, ଅସ୍ତ୍ରହଳ ଓ ମୁଷଳ, ତିଳକ, ତ୍ରୀଖଣ୍ଡିକା ଓ ଝୋବାକଣ୍ଠି ଆଦି ପରିଧାନ କରିଥାନ୍ତି। ଦେବୀ ସୁଭଦ୍ରାଙ୍କୁ କିରିଟି, ଓଡିଆଣି, କାନ, ଚନ୍ଦ୍ରସୂର୍ଯ୍ୟ, ଦୁଇଟି ତଗଡି, ସେବତୀ ମାଳି, ଘାଗଡାମାଳି, କଦମ୍ବମାଳି ଆଦି ପରିଧାନ କରିଥାନ୍ତି। ସେହିଭଳି ମହାପ୍ରଭୁ ଶ୍ରୀଜଗନ୍ନାଥ ଶ୍ରୀପୟର, ଶ୍ରୀଭୁଜ, କିରିଟି, ଆଦି ଅନେକ ସୁନା ଅଳଙ୍କାର ସହ ସ୍ୱର୍ଣ୍ଣଚକ୍ର, ରୌପ୍ଯ ଶଙ୍ଖ, କମରପଟି, କର୍ଣ୍ଣକୁଣ୍ଡଳ, ଚନ୍ଦ୍ରସୂର୍ଯ୍ୟ, ଆଡ଼କାନି, ଘାଗଡାମାଳି, କଦମ୍ବମାଳି, ତିଳକତ୍ରୀଖଣ୍ଡିକା, ସେବତୀମାଳି, ଝୋବା କଣ୍ଠି, ତାବିଜ ମାଳି ଓ ବାହାଡା ମାଳି ପରିଧାନ କରି ଭକ୍ତଙ୍କୁ ରଥ ଉପରେ ସୁନା ବେଶରେ ଦର୍ଶନ ଦେଇଛନ୍ତି। ୧୩୮ ପ୍ରକାରର ସ୍ୱର୍ଣ୍ଣ ଅଳଙ୍କାରରେ ଶ୍ରୀଜିଉ ଝଲସୁଛନ୍ତି।
ଏହି ମନମୁଗ୍ଧକର ବେଶ ବର୍ଷକରେ ଥରେ ରଥ ଉପରେ ଅନୁଷ୍ଠିତ ହେଉଥିବାରୁ ଏହି ବେଶରେ ମହାପ୍ରଭୁଙ୍କୁ ଦର୍ଶନ କଲେ ଅଶେଷ ପୁଣ୍ୟ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି।