ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଦ୍ୱିତୀୟ ଥର ପାଇଁ ଗୁରୁବାର ଖୋଲିଛି। ନିର୍ଦ୍ଧାରିତ ସମୟ ୯ଟା ୫୧ରେ ଭିତର ରତ୍ନ ଭଣ୍ଡାର ଖୋଲାଯାଇଛି। ରତ୍ନଭଣ୍ଡାର କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥଙ୍କ ସହ ଶ୍ରୀମନ୍ଦିର ପ୍ରଶାସକ ଅରବିନ୍ଦ ପାଢୀଙ୍କ ସମେତ ୧୧ଜଣିଆ ଟିମ୍ର ଉପସ୍ଥିତିରେ ଭଣ୍ଡାର ଖୋଲାଯାଇଛି। ତେବେ ଭିତର ରତ୍ନଭଣ୍ଡାରରୁ ବାହାରିବା ପରେ ପ୍ରତିକ୍ରିୟା ରଖିଛନ୍ତି ଗଜପତି ମହାରଜା ଦିବ୍ୟସିଂହ ଦେବ ।
ସେ କହିଛନ୍ତି ମୋ ଉପସ୍ଥିତିରେ ରତ୍ନ ଭଣ୍ଡାରରେ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଭିତର ରତ୍ନଭଣ୍ଡାରରେ ଯାହା ବି ଗହଣା ଓ ମୂଲ୍ୟବାନ ସାମଗ୍ରୀ ଅଛି, ତାକୁ ଖଟଶେଜ ଘରକୁ ସ୍ଥାନାନ୍ତର କରାଯିବ । ମହାପ୍ରଭୁଙ୍କ କୃପାରୁ ଆଜି ସନ୍ଧ୍ୟା ସୁଦ୍ଧା ଏହି କାମ ଶେଷ ହେବ ବୋଲି ଗଜପତି କହିଛନ୍ତି । ଏତିସହ ବାହାର ରତ୍ନଭଣ୍ଡାର ଅଳଙ୍କାରକୁ ଚାଙ୍ଗଡା ଘର ଓ ଫୁଲ ଘରେ ରଖାଯାଇଛି । ସମସ୍ତ ଅଳଙ୍କାର ସିସିଟିଭି ନଜରରେ ରହିଛି ବୋଲି ଗଜପତି ମହାରାଜା ସୂଚନା ଦେଇଛନ୍ତି । ବାହାର ଓ ଭିତର ରତ୍ନଭଣ୍ଡାର ଅଳଙ୍କାର ସ୍ଥାନାନ୍ତର ପରେ ଏହାର ସ୍କାନିଂ କରାଯିବ। ଏହାପରେ ରତ୍ନଭଣ୍ଡାରକୁ ଏଏସଆଇକୁ ହସ୍ତାନ୍ତର କରାଯିବ।