ଏକ ମିଛ ସାମାଜିକ ସଂଗଠନର କର୍ମକର୍ତ୍ତା ବୋଲି ଫେସ୍ବୁକ୍ ଓ ଇନ୍ଷ୍ଟାଗ୍ରାମ୍ରେ ନିଜକୁ ପରିଚିତ କରାଉଥିଲେ। ବିଶେଷକରି ଆର୍ଥିକ ସମସ୍ୟା ପାଇଁ ଉଚ୍ଚଶିକ୍ଷାରୁ ବଞ୍ଚିତ ହେଉଥିବା ଗରିବ ମେଧାବୀ ଯୁବତୀଙ୍କୁ ତାଙ୍କ ସଂସ୍ଥା ସହଯୋଗ କରୁଛି ବୋଲି ସେମାନେ ସାମାଜିକ ଗଣମାଧ୍ୟମରେ ପ୍ରଚାରପ୍ରସାର କରୁଥିଲେ। କିନ୍ତୁ ସେମାନଙ୍କ ଅସଲ ଚେହେରା ଓ ଉଦ୍ଦେଶ୍ୟ ଥିଲା ଭିନ୍ନ।
ସମାଜସେବା ଆଢ଼ୁଆଳରେ ସେମାନେ ଯୁବତୀ ଓ ମହିଳାଙ୍କୁ ନେଇ ଅଶ୍ଳୀଳ କାରବାର କରିବାକୁ ଜାଲ ବିଛାଉଥିଲେ। ଯିଏ ସେମାନଙ୍କ କଥାରେ ଭଳିଯାଉଥିଲା, ସେ ଫସୁଥିଲା। ନକଲି ସମାଜସେବୀମାନେ ତାଙ୍କୁ ବ୍ଲାକ୍ମେଲ୍ କରି ଶାରୀରିକ ଶୋଷଣ କରୁଥିଲେ। କିନ୍ତୁ ବାଳକାଟି ଅଞ୍ଚଳର ଜଣେ ଯୁବତୀଙ୍କୁ ଫସାଇବାକୁ ଯାଇ ଏହି ଯୌନପିପାସୁଦ୍ବୟ ଫସିଯାଇଛନ୍ତି। ଲୋକଲଜ୍ଜାକୁ ନ ଡରି ଯୁବତୀଜଣକ ପୁଲିସକୁ ଜଣାଇବାରୁ ୨ ଛଦ୍ମବେଶୀ ସମାଜସେବୀ ଧରାପଡ଼ି ଜେଲ୍ ହାଜତକୁ ଯାଇଛନ୍ତି। ଅଭିଯୁକ୍ତଦ୍ବୟ ହେଲେ ଖୋର୍ଦ୍ଧା ଥାନା କୁମ୍ଭୀଲୋ ଗାଁର ଅକ୍ଷୟ ଦାସ ଓରଫ୍ ରାଜା(୨୮) ଓ ପଶ୍ଚିମବଙ୍ଗର ସେକ୍ ଆକ୍ରାମ ଓରଫ୍ ରାଜୁ(୩୦)। ଗତକାଲି ବାଲିଅନ୍ତା ଥାନା ପୁଲିସ ରଙ୍ଗବଜାରସ୍ଥିତ ଏକ ଆପାର୍ଟମେଣ୍ଟରୁ ସେମାନଙ୍କୁ ଗିରଫ କରିଥିଲା। ସେମାନଙ୍କଠାରୁ ଏକ କାର୍ ଓ ୩ ମୋବାଇଲ୍ ଜବତ କରାଯାଇଛି। ଅଭିଯୁକ୍ତଦ୍ବୟଙ୍କ ନାଁରେ ଫୁଲବାଣୀ, ଖୋର୍ଦ୍ଧା ଓ ଲକ୍ଷ୍ମୀସାଗର ଆଦି ଥାନାରେ ଏଭଳି ମାମଲା ରହିଛି।