ଆଜି ବିଦାୟ ନେବ ଆଷାଢ; ବିକଳ ସ୍ଥିତିରେ ହୀରାକୁଦ

Spread the love

ଏଭଳି ସ୍ଥିତିରେ ଅଧା ଓଡ଼ିଶାର ଜଳସେଚନ ଓ ପାନୀୟ ଜଳର ଏକମାତ୍ର ଭରସା ହୀରାକୁଦ ଜଳଭଣ୍ଡାରର ବିକଳ ଚିତ୍ର ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି । ଗତବର୍ଷ ଏହି ସମୟରେ ହୀରାକୁଦର ଜଳସ୍ତର ୬୧୧ ଫୁଟ୍ ଉପରେ ଥିଲା । ହେଲେ ଶନିବାର (୨୦ ଜୁଲାଇ)ରେ ୬୦୧ ଫୁଟ୍ ତଳେ ରହିଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ, ଗତବର୍ଷ ଜୁଲାଇ ୨୩ରେ ଜଳସ୍ତର ୬୧୪ ଫୁଟ୍ ଟପିଥିବା ବେଳେ ସେହିଦିନ ପ୍ରଥମ ବନ୍ୟା ଜଳ ନିଷ୍କାସନ କରାଯାଇଥିଲା । କିନ୍ତୁ ଚଳିତବର୍ଷ ବନ୍ୟାଜଳ ନିଷ୍କାସନ ତ ଦୂରର କଥା କେନାଲ ଜଳସେଚନ ଚିନ୍ତା ଘନେଇଲାଣି । ଦୀର୍ଘ ବର୍ଷ ପରେ ଏବର୍ଷ ଅଣମୌସୁମୀ ଅବଧି ସାରା ହୀରାକୁଦରେ ପ୍ରାୟ ୪ରୁ ୫ ଫୁଟ୍ ପର୍ଯ୍ୟନ୍ତ ଅଧିକ ପାଣି ରହି ଆସିଥିଲା ।

ବିଦାୟ ନେବ ଆଷାଢ଼ । ସୋମବାରଠାରୁ ଶ୍ରାବଣ ଆରମ୍ଭ । ହେଲେ ଏବେ ବି ଶୁଖିଲା ପଡ଼ିଛି କ୍ଷେତ । ବର୍ଷାର ଲୁଚକାଳି ଖେଳ ଯୋଗୁଁ ବୁଣାରୁ ଆରମ୍ଭ କରି ପହ୍ଲାରୁଆ ସବୁ କିଛି ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି । ଚାଷ ଆରମ୍ଭ ନ ହେଉଣୁ କେନାଲ ଓ ଉଠା ଜଳସେଚନକୁ ଭରସା କଲାଣି ଚାଷୀ ।

ହେଲେ ମୌସୁମୀ ଉଭାନ ମାରିବା ପରେ ସ୍ଥିତି ଓଲଟିଯାଇଛି । ଜୁଲାଇରୁ ଧୀରେ ଧୀରେ ନିଅଣ୍ଟିଆ ସ୍ଥିତି ଦେଖିବାକୁ ମିଳିଛି । ସ୍ଥିତିକୁ ଦେଖି କିଛିଦିନ ବିଦ୍ୟୁତ୍ ଉତ୍ପାଦନ ପାଇଁ ଓଏଚ୍ପିସିକୁ କମ୍ ପାଣି ଯୋଗାଣ କରିବାକୁ କର୍ତ୍ତୃପକ୍ଷ ବାଧ୍ୟ ହୋଇଥିଲେ । ଯଦ୍ୱାରା ଉଭୟ ବୁର୍ଲା ଏବଂ ଚିପିଲିମାରୁ ମୋଟ୍ ଉତ୍ପାଦନ ୨୫ ମେଗାୱାଟ୍ ତଳକୁ ଖସି ଆସିଥିଲା । ହେଲେ ଦୁଇ ସପ୍ତାହ ତଳେ ଉପରମୁଣ୍ଡରୁ ପ୍ରାୟ ୨୦ରୁ ୫୦ ହଜାର କ୍ୟୁସେକ୍ ପାଣି ଆସିବାରୁ ସ୍ଥିତି ସାମାନ୍ୟ ସୁଧୁରିଥିଲା । ଜଳସ୍ତର ୬୦୦ ଫୁଟ୍ରୁ ୬୦୨ ଯାଏ ଛୁଇଁଥିଲା । ଇତିମଧ୍ୟରେ ବନ୍ଧ କର୍ତ୍ତୃପକ୍ଷ ପାୱାର୍ ହାଉସ୍କୁ ୨୫ ହଜାରରୁ ୨୮ ହଜାର କ୍ୟୁସେକ୍ ଯାଏ ପାଣି ଛାଡ଼ିବାରୁ ଜଳସ୍ତର ପୁଣି ୬୦୦କୁ ଖସି ଆସିଥିଲା । ଏବେ ୬୦୧ ଫୁଟ୍ ଭିତରେ ଜଳ ଥିବାରୁ ପୁଣି ନିଅଣ୍ଟିଆ ସ୍ଥିତି ସୃଷ୍ଟି ହୋଇଛି ।

ସୂଚନାଯୋଗ୍ୟ, ଜଳଭଣ୍ଡାରର ପାଣି ଉପରେ ନିର୍ଭର କରି ଉପରମୁଣ୍ଡରେ ପ୍ରାୟ ୮ଟି ବୃହତ ଉଠାଜଳସେଚନ ପ୍ରକଳ୍ପରୁ ଆରମ୍ଭ କରି ଏକାଧିକ ପାନୀୟ ଜଳ ପ୍ରକଳ୍ପ ରହିଛି । ତଥାପି ସେହି ଅନୁପାତରେ ପାଣି ଉପରମୁଣ୍ଡରୁ ଆସୁ ନ ଥିବାରୁ ଜଳସ୍ତର ବୃଦ୍ଧି ହେଉନାହିଁ । ଶନିବାର ସନ୍ଧ୍ୟା ୬ଟା ସୁଦ୍ଧା ଜଳସ୍ତର ୬୦୦.୮୯ ଫୁଟ୍ ରହିଥିବା ବେଳେ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୩୦୭୧୭ କ୍ୟୁସେକ୍ ପାଣି ପ୍ରବେଶ କରୁଛି । ଏହାଛଡା ପାୱାର ହାଉସ୍କୁ ୮୬୬୯ କ୍ୟୁସେକ୍ ଯୋଗାଣ ହେଉଥିବା ବେଳେ ଜଳସେଚନ ବାବଦକୁ ୪୨୭୨ କ୍ୟୁସେକ୍ ଏବଂ ଶିଳ୍ପ ଜଳଯୋଗାଣ ମିଶି ମୋଟ୍ ୧୩,୨୧୬ କ୍ୟୁସେକ୍ ଜଳ ଯୋଗାଣ ହେଉଛି ।

Leave a Reply

Your email address will not be published. Required fields are marked *