ଆଜି ବାହୁଡ଼ିବେ ମହାବାହୁ

Spread the love

ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା । ନବଦିନାତ୍ମକ ଯାତ୍ରା ସାରି ଶ୍ରୀମନ୍ଦିରଙ୍କୁ ବାହୁଡ଼ିରେ ଶ୍ରୀଜିଉ । ଦଶମୀ ତିଥିରେ ମହାପ୍ରଭୁ ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ି ଯିବେ । ଚତୁର୍ଦ୍ଧାମୂର୍ତ୍ତିଙ୍କୁ ବକ୍ଷରେ ଧାରଣ କରିବାକୁ ଶରଧାବାଲିରେ ଅପେକ୍ଷାରତ ତାଳଧ୍ୱଜ, ଦେବଦଳନ ଓ ନନ୍ଦିଘୋଷ । ବାହୁଡ଼ା ପାଇଁ ବଡ଼ଦାଣ୍ଡରେ ପହଞ୍ଚିଲେଣି ହଜାର ହଜାର ଭକ୍ତ ।

ଭାବବିହ୍ୱଳ ଭକ୍ତଙ୍କ ଗହଣରେ ରଥାରୂଢ ଠାକୁରେ ସିଂହାଦ୍ୱାରକୁ ଯାତ୍ରା କରିବେ । ୧୨ଟାରେ ଆଡ଼ପ ମଣ୍ଡପରୁ ଠାକୁରଙ୍କ ପହଣ୍ଡି ଆରମ୍ଭ ହେବ । ସେହିପରି ଅପରାହ୍ଣ ୪ଟାରେ ରଥ ଟଣା ଆରମ୍ଭ ହେବ । ବାଟରେ ମାଉସୀ’ମାଙ୍କ ହାତରୁ ପୋଡପିଠା ଖାଇବେ ଠାକୁରେ । ରାଜାନଅର ସମ୍ମୁଖରେ ଲକ୍ଷ୍ମୀ-ନାରାୟଣଙ୍କ ଭେଟ ହେବ । ଗଜପତି ମହାରାଜା ମହାଲକ୍ଷ୍ମୀଙ୍କୁ ସ୍ୱହସ୍ତରେ ଧରି ମହାପ୍ରଭୁଙ୍କୁ ଭେଟ କରାଇବେ ।

ସୋମବାର ପବିତ୍ର ବାହୁଡା ଯାତ୍ରା ଅବସରରେ ଶ୍ରୀଗୁଣ୍ଡିଚା ଘରେ ମହାପ୍ରଭୁଙ୍କ ବିଶେଷ ନୀତିର ସମୟ ଧାର୍ଯ୍ୟ ହୋଇଛି । ପୂର୍ବଦିନ ରାତିରୁ ଶ୍ରୀଗୁଣ୍ଡିଚା ମନ୍ଦିରରେ ଆରମ୍ଭ ହୋଇଥିଲା ପ୍ରସ୍ତୁତି । ବାହୁଡାରେ ପ୍ରାତଃ ୪ଟାରେ ଠାକୁରଙ୍କ ମଙ୍ଗଳାରତୀ ଓ ୫ଟାରେ ଅବକାଶ ନୀତି ଅନୁଷ୍ଠିତ ହୋଇଛି । ସକାଳ ୬ଟା୪୫ମିନିଟ୍ ସୁଦ୍ଧା ସକାଳ ଧୂପରେ ଠାକୁରଙ୍କୁ ଖେଚୁଡି ଭୋଗ ଅର୍ପଣ ହୋଇଛି । ଦଇତାପତିମାନେ ପୂର୍ବାହ୍ନ ୧୧ଟା୩୦ମିନିଟ୍ ସୁଦ୍ଧା ଶ୍ରୀବିଗ୍ରହଙ୍କ ସେନାପଟା ଲାଗି କରିବା ପରେ ୧୧ଟା୪୫ମିନିଟ୍ରେ ଠାକୁରଙ୍କ ୩ ବାଡରେ ମଙ୍ଗଳାର୍ପଣ ନୀତି ଅନୁଷ୍ଠିତ ହେବ ପରେ ଡୋରଲାଗି ଓ ପୁଷ୍ପାଞ୍ଜଳି ନୀତି ବଢି ଠାକୁରଙ୍କ ପହଣ୍ଡି ବିଜେ ଆରମ୍ଭ ହେବ । ପାରମ୍ପଦିକ ବାଦ୍ୟର ତାଳେତାଳେ ଶ୍ରୀବିଗ୍ରହ ଧାଡି ପହଣ୍ଡିରେ ଆସି ରଥ ଉପରେ ବିଜେ ହେବେ । ୧୨ଟାରୁ ସାଢେ୨ଟା ମଧ୍ୟରେ ପହଣ୍ଡି ସାରିବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ଧାର୍ଯ୍ୟ ହୋଇଛି ।

ଭକ୍ତଙ୍କ ହୁଳହୁଳି ଓ ଜୟଜୟକାର ଧ୍ୱନିରେ ଉଛୁଳିପଡ଼ିବ ଶରଧାବାଲି ଓ ବଡଦାଣ୍ଡ । ରଥରେ ଠାକୁରଙ୍କ ବେଶ ସରିବା ପରେ ଅପରାହ୍ନ ସାଢ଼େ ୨ଟାରୁ ସାଢ଼େ ୩ଟା ମଧ୍ୟରେ ଗଜପତି ମହାରାଜ ରଥରେ ଛେରା ପହଁରା କରିବେ । ଏହାପରେ ଚାରମାଳ ଫିଟାଯାଇ ଘୋଡା ଲାଗିବାପରେ ରଥ ଟଣା ଆରମ୍ଭ ହେବ । ରଥ ମାଉସୀ’ମାଙ୍କ ମନ୍ଦିର ସମ୍ମୁଖରେ ପହଞ୍ଚିଲେ ଠାକୁରଙ୍କୁ ପୋଡ ପିଠା ଅର୍ପଣ କରାଯିବ । ବଡ଼ଦାଣ୍ଡରେ ବିଭିନ୍ନ ଧାର୍ମିକ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ଠାକୁରମାନଙ୍କୁ ପନ୍ତି ଭୋଗ ଅର୍ପଣ କରାଯିବ । ନନ୍ଦିଘୋଷ ରଥ ଶ୍ରୀନହର ନିକଟରେ ପହଞ୍ଚିଲେ ନାରାୟଣଙ୍କ ସହିତ ମା’ଲକ୍ଷ୍ମୀ ଠାକୁରାଣୀଙ୍କ ଭେଟ ହେବ । ପାଲିଙ୍କିରେ ବିଜେ ହୋଇ ଠାକୁରାଣୀ ସେବକଙ୍କ ଗହଣରେ ଆସି ନନ୍ଦିଘୋଷ ରଥ ନିକଟରେ ପହଞ୍ଚିବେ । ଠାକୁରଙ୍କୁ ପୂଜା, ଆରତୀ ଓ ବନ୍ଦାପନା କରାଯାଇ ଦହିପଟି ମଣୋହି କରାଯିବ । ପାଲିଙ୍କିରେ ଠାକୁରାଣୀ ନନ୍ଦିଘୋଷ ରଥକୁ ପରିକ୍ରମା କରିବେ । ଶ୍ରୀମନ୍ଦିର ସିଂହଦ୍ୱାର ଠାରେ ରଥ ତ୍ରୟ ଉଭା ହେବାପରେ ଠାକୁରଙ୍କୁ ସୁଖିଲା ଭୋଗ ଅର୍ପଣ କରାଯିବ

Leave a Reply

Your email address will not be published. Required fields are marked *