ଜାତୀୟ ଟାଟୁ ଦିବସ

Spread the love

ପସନ୍ଦ ଅନୁସାରେ ଟ୍ରେଣ୍ଡ୍ ବଦଳୁଛି । ଏବେ ଯୁବପିଢି ଷ୍ଟାଇଲିସ୍ ଦେଖାଯିବା ପାଇଁ ଶରୀରରେ ଟାଟୁ ଆଙ୍କୁଛନ୍ତି । ତାହା ପୁଣି ଥ୍ରୀଡି ଟାଟୁ । ଏହି ଟାଟୁ ଅଧିକ ଜୀବନ୍ତ ଲାଗୁଛି । ପରିବାର ଲୋକଙ୍କ ଚେହେରା, ବିଭିନ୍ନ ଦେବଦେବୀ, ବାଘ ସହ ବିଭିନ୍ନ ପକ୍ଷୀଙ୍କ ପ୍ରତିକୃତିକୁ ଥ୍ରିଡି ଟାଟୁର ରୂପ ଦିଆଯାଉଛି, ଯାହା ଦେଖିବାକୁ ଆକର୍ଷଣୀୟ ଲାଗୁଥିବା ବେଳେ ଭୁବନେଶ୍ୱରର ଯୁବପିଢ଼ି ଏହାକୁ ଖୁବ୍ ଆପଣାଇଛନ୍ତି ।

ସେହିପରି ଟାଟୁକୁ ନେଇ ରିଲ୍ସ ମଧ୍ୟ କରାଯାଉଛି । ଟାଟୁର ଇତିହାସ, ସଂସ୍କୃତି ଓ ଟାଟୁ କଳାକାରଙ୍କୁ ସ୍ୱୀକୃତି ଦେବା ଲାଗି ଆଜି ଜାତୀୟ ଟାଟୁ ଦିବସ ପାଳନ ହେଉଥିବାବେଳେ ଏ ସମ୍ବନ୍ଧରେ କିଛି କଥା ।

ଦିନ ଥିଲା ଗାଁରେ କେଳାକେଲୁଣୀଙ୍କ ଦ୍ୱାରା ଶରୀରରେ ଚିତା କୁଟାଯାଉଥିଲା । ଲୋକେ ହାତରେ ସେମାନଙ୍କ ନାଁ ଓ ଶୁଭ ସଂଖ୍ୟା କୁଟୁଥିଲେ। ହେଲେ ଏବେ ସମୟ ବଦଳିଛି । ବଜାରକୁ ପ୍ରବେଶ କରିଛି ଚିତାକୁଟାର ପରିବର୍ତ୍ତନ ରୂପ ଟାଟୁ । ହାତ, ଛାତି, ବାହୁରେ ଅଙ୍କାଯାଉଛି ଭଳିକି ଭଳି ଟାଟୁ । କେହି କେହି ଶରୀର ସାରା ଟାଟୁ ଆଙ୍କୁଛନ୍ତି । ଏହାକୁ ଆକର୍ଷଣୀୟ କରିବା ପାଇଁ ବିଭିନ୍ନ ରଙ୍ଗ ମଧ୍ୟ ମିଶାଯାଉଛି । ଷ୍ଟାଇଲିସ୍ ଦେଖାଯିବା ପାଇଁ ନିଜ ନାମ ସହ ପ୍ରିୟଜନଙ୍କ ନାଁ ଓ ଫୁଲ ଆଦି ଟାଟୁ ଆଙ୍କୁଛନ୍ତି । ହେଲେ ଏ ସବୁ ପୁରୁଣା କାଳିଆ ହୋଇଯାଇଥିବା ବେଳେ ଥ୍ରୀଡି ଟାଟୁ ଚାହିଦାରେ ରହିଛି ଯାହାର ଦାମ୍ ଅଧିକ ହୋଇଥିବା ସତ୍ତେ୍ୱ ଏହା ଭୁବନେଶ୍ୱର ଯୁବବର୍ଗଙ୍କ ପ୍ରଥମ ପସନ୍ଦ ପାଲଟିଛି ।

ଗତ କିଛିବର୍ଷ ମଧ୍ୟରେ ଭୁବନେଶ୍ୱର ଗଳିକନ୍ଦିରେ ଛତୁ ଫୁଟିବା ଭଳି ଟାଟୁ ଦୋକାନ ଖୋଲିଗଲାଣି । ଏପରିକି ମେଳା, ମହୋତ୍ସବ ବେଳେ ରାଜ୍ୟ ବାହାରୁ ବ୍ୟବସାୟୀମାନେ ଆସି ଟାଟୁ ବ୍ୟବସାୟ କରୁଛନ୍ତି । ଫଳରେ ଏହା ଏକ ଲାଭଜନକ ବ୍ୟବସାୟରେ ପରିଣତ ହୋଇଛି । ଚାହିଦା ବଢ଼ୁଥିବାରୁ ଏବେ ସେଲୁନଗୁଡିକରେ ଟାଟୁ ଆଇଟମ୍ ମଧ୍ୟ ରହୁଛି । ହେଲେ ଥ୍ରୀଡି ଟାଟୁର ଦର ଅଧିକ ଥିବାରୁ ଏହା ହାତଗଣତି କେତେକ ଦୋକାନରେ ରହିଛି । ଏହି ଟାଟୁର ଦର ୧ ହଜାର ଟଙ୍କାରୁ ନେଇ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ରହିଥିବା ୟୁନିଟ-୩ରେ ଥିବା ଏକ ଟାଟୁ ଦୋକାନର କର୍ମଚାରୀ କହିଛନ୍ତି ।

Leave a Reply

Your email address will not be published. Required fields are marked *